‘ବିଉଟିଫୁଲ ମାଇଣ୍ଡସ’ ପକ୍ଷରୁ ଆନ୍ତର୍ଜାତିକ ୱେବ୍ ପ୍ରାର୍ଥନା ସଭା ଆୟୋଜନ

Home Category अंतरराष्ट्रीय ‘ବିଉଟିଫୁଲ ମାଇଣ୍ଡସ’ ପକ୍ଷରୁ ଆନ୍ତର୍ଜାତିକ ୱେବ୍ ପ୍ରାର୍ଥନା ସଭା ଆୟୋଜନ

ବୋଲିଙ୍ଗବ୍ରୁକ/କାଲିଫର୍ଣ୍ଣିଆ/ଚିକାଗୋ/ଟରୋଣ୍ଟୋ/ଦୁବାଇ/ନଏଡା ତା ୦୯.୦୬ : କୋଭିଡ଼ ବିପତ୍ତି ର ପ୍ରଶମଣ କ୍ଷେତ୍ରରେ ଯୁବ ସମ୍ପ୍ରଦାୟ ଖୁବ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବେ ବୋଲି ଆମେରିକାର ବୋଲିଙ୍ଗବ୍ରୁକ ନଗରର ମେୟର ମ୍ୟାରୀ ଆଲେକଜାଣ୍ଡର ବାସ୍ଟା ଆଶା ପ୍ରକାଶ କରିଛନ୍ତି। ଚିକାଗୋ ସ୍ଥିତ ‘‘ବିଉଟିଫୁଲ ମାଇଣ୍ଡସ ୟୁଥ ମେଣ୍ଟରିଂ ଫାଉଣ୍ଡେସନ’’ ଦ୍ବାରା କରୋନା ସଙ୍କଟରୁ ଉଦ୍ଧାର ପାଇଁ ଆୟୋଜିତ ଅନଲାଇନ୍ ଆନ୍ତର୍ଜାତିକ ପ୍ରାର୍ଥନା ସଭାରେ ସମ୍ମାନୀୟ ଅତିଥି ବକ୍ତା ଭାବେ ଯୋଗଦେଇ ଶ୍ରୀମତୀ ବାସ୍ଟା କୋମଳମତି ପିଲାମାନଙ୍କର ସମ୍ମୁହ ପ୍ରାର୍ଥନା ଦ୍ବାରା ଈଶ୍ବରଙ୍କ ଆଶିଷ ନିଶ୍ଚିତ ଭାବେ ପ୍ରାପ୍ତି ହେବ ବୋଲି ଆଶ୍ଵାସନା ଦେଇଥିଲେ।ମହାମାରୀ ଆମକୁ ପରିବାର, ପରିଜନ ଏବଂ ଜୀବନର ମୂଲ୍ୟବୋଧ କଣ, ତାହା ଶିଖାଇ ଦେଇଥିବା ମେୟର ମ୍ୟାରୀ ଉଲ୍ଲେଖ କରିଥିଲେ। 

ଭର୍ଚୁଆଲ ଅଧିବେଶନରେ ସ୍ବାଗତ ଭାଷଣ ପ୍ରଦାନ କରି ବିଉଟିଫୁଲ ମାଇଣ୍ଡସ୍ ର ସଭାପତି ସୁଚିସ୍ମିତା ପଣ୍ଡା, ଓଡ଼ିଶାର ଅଭାବୀ ଯୁବକ ଓ ଶିଶୁ ମାନଙ୍କୁ କୁଶଳୀ ଶିକ୍ଷା ପ୍ରଦାନ କରି ସେମାନଙ୍କର ସାମାଜିକ ଓ ଆର୍ଥିକ ପ୍ରଗତି କୁ ସମ୍ଭବପର କରିବା ପାଇଁ, ତାଙ୍କର ଫାଉଣ୍ଡେସନ ପ୍ରୟାସ କରୁଥିବା ସୂଚାଇଥିଲେ। ଚଳିତ ବିଶ୍ଵ ମହାମାରୀ କୁ ଜିତିବା ପାଇଁ ଯୁବ ସମାଜର ଐଶ୍ଵରିକ ଚେତନାକୁ ଉଜାଗର କରିବା ସକାଶେ ଏହି ପ୍ରାର୍ଥନା ସଭା ଉଦ୍ଦିଷ୍ଠ ବୋଲି ଶ୍ରୀମତୀ ପଣ୍ଡା ଦର୍ଶାଇ ଥିଲେ। ପ୍ରତିଷ୍ଠାନର ନିର୍ଦ୍ଦେଶକ ଶୁଭେନ୍ଦୁ ଷଡ଼ଙ୍ଗୀ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ବିଉଟିଫୁଲ ମାଇଣ୍ଡସର ସହ ସଂସ୍ଥାପକ ନିଶାନ୍ତ ଷଡ଼ଙ୍ଗୀ ଓଡ଼ିଶାର ଅସହାୟ ଓ ସୁବିଧା ସୁଯୋଗରୁ ବଞ୍ଚିତ ପିଲା ମାନଙ୍କୁ ବିଶ୍ବସ୍ତରୀୟ ପାରଦର୍ଶୀ ବନାଇବା ତାଙ୍କ ସଂଗଠନର ମୁଖ୍ୟ ଲକ୍ଷ୍ୟ ବୋଲି ଘୋଷଣା କରିଥିଲେ।

କାଲିଫର୍ଣ୍ଣଆରୁ ଭିଡ଼ିଓ କନଫରେନସିଂ ଜରିଆରେ ବୈଠକରେ ଉଦବୋଧନ ଦେଇ ପ୍ରସିଦ୍ଧ ଆଧ୍ୟାତ୍ମିକ ପ୍ରବଚକ ନିବେଦିତା ପଣ୍ଡା ସାରା ଦୁନିଆରେ ନୈତିକ ଗୁଣାବଳୀର ସ୍ଖଳନ, ପରିବେଶର ଧ୍ୱଂସକରଣ ଏବଂ ମାତ୍ରାଧିକ ବସ୍ତୁବାଦୀ ଆସକ୍ତି ଯୋଗୁଁ କରୋନା ମହାମାରୀ ବ୍ୟାପିଥିବା ପ୍ରକାଶ କରିଥିଲେ। ମଣିଷ ସ୍ବୟଂ ଆତ୍ମଶୁଦ୍ଧି କରି ନିଜର ଅର୍ନ୍ତନିହିତ ଶକ୍ତିକୁ ଜାଗ୍ରତ କଲେ ନିଜେ ସୁସ୍ଥ, ସୁରକ୍ଷିତ ଓ ସମ୍ପନ୍ନ ରହିବା ସାଙ୍ଗକୁ ଅନ୍ୟମାନଙ୍କୁ ମଧ୍ୟ ଚିରନ୍ତନ ଆନନ୍ଦରେ ଭାଗୀଦାର କରାଇବାରେ ସକ୍ଷମ ହୋଇପାରିବ ବୋଲି ଶ୍ରୀମତୀ ପଣ୍ଡା ଦମ୍ଭ ପ୍ରକାଶ କରିଥିଲେ। 

ଦୁବାଇ ରୁ ଲିପିକା ଦାଶ ମହାମାରୀ ର ସାକରାତ୍ମକ ଦିଗକୁ ଦୃଷ୍ଟିପାତ କରିବାକୁ ପରାମର୍ଶ ଦେଇଥିଲେ। ଏହା ସମଗ୍ର ବିଶ୍ଵ କୁ ଏକାକାର ଓ ଏକତ୍ରିତ କରି ଆମର ଆଦିଯୁଗର ସନାତନ ଦର୍ଶନ, ‘‘ବସୁଧୈବ କୁଟୁମ୍ବକମ୍’’ କୁ ସତ୍ୟରେ ପରିଣତ କରିଦେଇଥିବା ଲିପିକା କହିଥିଲେ।ଲାଇଭ ଷ୍ଟ୍ରିମିଙ୍ଗ ସଭାକୁ ସମ୍ବୋଧନ କରି ଟରୋଣ୍ଟୋ ରୁ ଡଃ ତନ୍ମୟ ପଣ୍ଡା ମାନବ ସମାଜ ମାୟାର ପ୍ରଭାବରୁ ମୁକ୍ତ ହୋଇ ନିଷ୍କାମ କର୍ମ ମାଧ୍ୟମରେ ବିଶ୍ଵନିୟନ୍ତାଙ୍କ ନିକଟରେ ସମର୍ପିତ ପ୍ରାର୍ଥନା କଲେ ମୋକ୍ଷ ପ୍ରାପ୍ତି ହେବା କରିବା ସାଙ୍ଗକୁ ଆତ୍ମା ମଧ୍ୟ ପରମାତ୍ମା ସହିତ ଲୀନ ହୋଇଯିବା ସମ୍ଭବପର ହେବ ବୋଲି ମତବ୍ୟକ୍ତ କରିଥିଲେ। ପ୍ରାର୍ଥନା ସଭା ଆୟୋଜନରେ କାନାଡ଼ାର କାଂସା ଏବଂ ସୁଶ୍ରୀ ଏକାଡେମୀ, ଚିକାଗୋର ହିନ୍ଦୀ ଗୁରୁକୁଳ ଓ ଆର୍ଟ ଅଫ ହାର୍ଟସ୍ ତଥା ଓଡ଼ିଶାର ବିଦ୍ୟା ପବ୍ଲିକେସନ ପ୍ରମୁଖ ଅନୁଷ୍ଠାନ ସହଯୋଗ କରିଥିଲେ। 

ଚିକାଗୋ ସ୍ଥିତ ଆର୍ଟ ଅଫ ଲିଭିଙ୍ଗ ସଂସ୍ଥା ତରଫରୁ ରାଜୀବ ଦାସ ଆତ୍ମଶକ୍ତିର ଉନ୍ମେଷ ଓ ଅର୍ନ୍ତନିହିତ ଶାନ୍ତିର ଉଦ୍ରେକ ପାଇଁ ଧ୍ୟାନ ଶିକ୍ଷା ଦେଇଥିଲେ। ବାସବଦତ୍ତା ପାଢ଼ୀ ସାରା ବିଶ୍ୱର ମଙ୍ଗଳ ଓ ମହାମାରୀରୁ ମୁକ୍ତି ଉଦ୍ଦେଶ୍ୟ ରେ ନିର୍ବାଣାଶକମ୍ ପାଠ କରିଥିଲେ। ସଭାପତି ସୁଚିସ୍ମିତା ପଣ୍ଡା ସମଗ୍ର କାର୍ଯ୍ୟକ୍ରମ ସଫଳତାର ସହିତ ସଂଯୋଜନା ଏବଂ ସୂଚାରୁ ରୂପେ ଉପସ୍ଥାପନା କରିଥିଲେ। ଆମେରିକା, କାନାଡା, ଭାରତ ଓ ୟୁଏଇ ର ଯୁବ ଏବଂ ଶିଶୁ କଳାକାର ମାନେ ଭଜନ ଓ ପ୍ରାର୍ଥନା ପରିବେଷଣ ତଥା ମନ୍ତ୍ର ଉଚ୍ଚାରଣ କରି ଦର୍ଶକ ମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ।ଏହି ଭକ୍ତିପୂତ ୱେବିନାରରେ ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କ ମଧ୍ୟରେ ସୁନନ୍ଦା ମିଶ୍ର ପଣ୍ଡା, ଭୁମିକା ଗୋଛି, ସୁଜାତା ପଟ୍ଟନାୟକ, ଶ୍ୟାମା ରଥ, ସୁଶ୍ରୀୟା ମିଶ୍ର, ସ୍ବାତୀ ପଟ୍ଟନାୟକ, ଅନୁରାଧା ଆନନ୍ଦ,ସୁଶ୍ରୀ ମିଶ୍ର କର, ଚିନ୍ମୟୀ ମିଶ୍ର ଏବଂ ଲୋପାମୁଦ୍ରା ଦାଶ ପ୍ରମୁଖ ଅର୍ନ୍ତଭୁକ୍ତ ଥିଲେ।

 

[Social Media Share Text/Image]